ତୁଳସୀ ପୂଜନ ଦିବସ

 ⭕‼️⭕ * ତୁଳସୀ ପୂଜନ ଦିବସ * ⭕‼️⭕



ଆଜି ତୁଳସୀ ପୂଜନ ଦିବସ । ମାଁ ତୁଳସୀ ଦେବୀଙ୍କର ଘରେ ଘରେ ପୂଜନ, ଅର୍ଚ୍ଚନା, ବନ୍ଦନା ଏହି ଦିବସରେ କରାଯାଏ। 


       ବିଷ୍ଣୁପ୍ରିୟା ସେ। ଘରେ ଘରେ ପୂଜିତା । ପବିତ୍ର ଏହାର ପତ୍ରରୁ ମୂର୍ତ୍ତିକା ପର୍ଯ୍ୟନ୍ତ । ମୂଳରେ ଏହାର ସବୁ ତୀର୍ଥ । ପୁଣି ପତ୍ରରେ ଦେବତା କରନ୍ତି ବାସ ।

 ପୁରାଣରୁ ଆୟୁର୍ବେଦ, ମଣିଷର ଜନ୍ମରୁ ମୃତ୍ୟୁ ଯାଏଁ ସବୁଠି ଲୋଡ଼ା ତୁଳସୀ….


”ୟନ୍‌ ମୂଳେ ସର୍ବ ତୀର୍ଥାନୀ ୟନ୍‌ ମଧ୍ୟେ ସର୍ବ ଦେବତା

ୟଦାଗ୍ରେ ସର୍ବ ବେଦାଶ୍ଚ ତୁଳସୀ ତ୍ୱଂ ନମାମ୍ୟହମ୍‌ ।“🙏🌸


ତୁଳସୀର ମହିମା ଗାଇ ଭଗବାନ ଶିବ ନାରଦ କୁ କହୁଛନ୍ତି -

 ପତ୍ରଂ ପୁଷ୍ପଂ ଫଳଂ ଶାଖା ତ୍ବକ୍ ସ୍କନ୍ଧଜ୍ଞିତମ୍।

 ତୁଳସୀସମ୍ବବଂ ସର୍ବଂ ପାବନଂ ମୃତ୍ତିକାଦିକମ୍ ।।

 

ତୁଳସୀର ପତ୍ର,ଫୁଲ,ଫଲ,ଶାଖା,ଛଲି, ଗଣ୍ଡି ଓ ମାଟି ଆଦି ସବୁ ପବିତ୍ର ଅଟେ ।

-ପଦ୍ମ ପୁରାଣ


କଳିଯୁଗରେ ତୁଳସୀ ପୂଜନ , କୀର୍ତ୍ତନ, ଭଜନ, ଧାରଣ କରିବା ଦ୍ୱାରା ସମସ୍ତ ପାପ ଭସ୍ମୀଭୂତ ହୁଏ ତଥା ମୋକ୍ଷ ପ୍ରାପ୍ତି ହୁଏ।


ପ୍ରତିଦିନ ତୁଳସୀ ପତ୍ର ସେବନ କରିବା ଦ୍ଵାରା ସ୍ମରଣ ଶକ୍ତି ପ୍ରଖର ହୁଏ ତଥା ରୋଗ ପ୍ରତିରୋଧକ ଶକ୍ତି ବୄଦ୍ଧି ହୁଏ।


ତୁଳସୀ ଗଛ  ଅଧିକ ରୁ ଅଧିକ ଘରେ ଲଗାଇବା ଦରକାର। ତୁଳସୀ ଦିନରେ ଏବଂ ରାତିରେ ମଧ୍ୟ ଅମ୍ଳଜାନ ଉସ୍ବର୍ଜନ କରେ। ତେଣୁ ପରିବେଶ ପ୍ରଦୂଷଣ ରୁ ରକ୍ଷା ପାଇବା ପାଇଁ ତୁଳସୀ ରୋପଣ, ପୂଜନ, ଧାରଣ ତଥା ସମ୍ବର୍ଦ୍ଧନ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ।


❣️ପୁରାଣ ପୃଷ୍ଠାରେ ତୁଳସୀ: ❣️


ବ୍ରହ୍ମବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ଦକ୍ଷସାବର୍ଣ୍ଣିଙ୍କ ବଂଶଧର ଧର୍ମପରାୟଣ ରାଜା ଧର୍ମଧ୍ୱଜ ଓ ରାଣୀ ମାଧବୀଙ୍କ ଗର୍ଭରୁ ଲକ୍ଷ୍ମୀ ସ୍ବରୂପିଣୀ ସର୍ବଗୁଣସମ୍ପନ୍ନା ପଦ୍ମିନୀ କନ୍ୟା ‘ତୁଳସୀ’ କାର୍ତ୍ତିକ ପୂର୍ଣ୍ଣିମା ଶୁକ୍ରବାରରେ ଶ୍ରୀକୃଷ୍ଣଙ୍କ ରାସସ୍ଥଳୀ ବୃନ୍ଦାବନରେ ଜନ୍ମ ଗ୍ରହଣ କରିଥିଲେ। ଗୋଲକ ବିହାରୀଙ୍କ ଅଷ୍ଟ ଗୋପପାର୍ଷଦ ମଧ୍ୟରୁ ‘ସୁଦାମା’ ଶ୍ରୀରାଧାଙ୍କ ଦ୍ୱାରା ଶାପଗ୍ରସ୍ତ ହୋଇ ଶଙ୍ଖଚୂଡ ନାମକ ଦାନବ ରୂପେ ଜନ୍ମଗ୍ରହଣ କରିଥିଲେ। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନିର୍ଦ୍ଦେଶରେ ତୁଳସୀ ସେହି ଶଙ୍ଖଚୂଡକୁ ବିବାହ କରିଥିଲେ। ବିଷ୍ଣୁ ଶଙ୍ଖଚୂଡକୁ ବଧ କରନ୍ତେ, ପୂର୍ବଜନ୍ମର ବୃନ୍ଦାଙ୍କ ପରିବର୍ତ୍ତିତ ରୂପ ତୁଳସୀ ବିଷ୍ଣୁଙ୍କୁ ଶିଳାରୂପ ହେବାର ଅଭିଶାପ ଦେଇଥିଲେ। ମାୟାଧରଙ୍କ ନିର୍ଦ୍ଦେଶରେ ତୁଳସୀ ଦିବ୍ୟସ୍ବରୂପ ଗ୍ରହଣ କରି ତପସ୍ୟାର ଫଳସ୍ବରୂପ ଗୋଲକବିହାରୀଙ୍କ ସହ ବୈକୁଣ୍ଠରେ ଲକ୍ଷ୍ମୀଙ୍କ ସହ ବିଷ୍ଣୁପ୍ରିୟା ହୋଇ ରହିଲେ। ତୁଳସୀଙ୍କ ମରଶରୀର ଗଣ୍ଡକୀ ନଦୀ ହେଲା, କେଶରାଶିରୁ ତୁଳସୀ ବୃକ୍ଷ ସୃଷ୍ଟି ହେଲା।


❣️ଅନେକ ନାମରେ ତୁଳସୀ : ❣️


ସାରା ବିଶ୍ୱରେ ତୁଳସୀର ପ୍ରାୟ ୧୫୦ ପ୍ରଜାତି ଦେଖାଯାଇଥାଏ। ଏହାର ବୈଜ୍ଞାନିକ ନାମ ହେଉଛି ଓସିମମ୍‌ ଟେନୁଇଫ୍ଲୋରମ। 

       

        ଓଡ଼ିଶାରେ ଦେଖାଯାଇଥାଏ ସୁଗନ୍ଧ, ଲଣ୍ଡା ବଗୁଲି, ସୁବାସି, କପୁର, କାନ୍ତି, କପୁର ତୁଳସୀ, ଗଙ୍ଗା ତୁଳସୀ, ଦୁର୍ଲଭା, ବଣତୁଳସୀ, ରାମ ତୁଳସୀ, ଶ୍ରୀ ତୁଳସୀ, ଶ୍ୟାମ ତୁଳସୀ, କଳା ତୁଳସୀ ଆଦି।


         ହିନ୍ଦୁ ବେଦ ଅନୁସାରେ ତୁଳସୀ ବୈଷ୍ଣବୀ, ବିଷ୍ଣୁ ବଲ୍ଲଭା, ହରିପ୍ରିୟା, ବିଷ୍ଣୁ ତୁଳସୀ ଆଦି ନାମରେ ପରିଚିତ। ସବୁଜ ରଙ୍ଗର ପତ୍ର ଥିବା ତୁଳସୀ ଶ୍ରୀ ତୁଳସୀ ଓ ରାମ ତୁଳସୀ ନାମରେ ବି ପରିଚିତ। ଗାଢ଼ ସବୁଜ ରଙ୍ଗର ପତ୍ର ଥିବା ତୁଳସୀ ତଥା ବାଇଗଣୀ ରଙ୍ଗର ପତ୍ର ଓ ଶାଖା ଥିବା ତୁଳସୀକୁ କଳା ତୁଳସୀ ବା ଶ୍ୟାମା ତୁଳସୀ ବା କୃଷ୍ଣ ତୁଳସୀ ବୋଲି କୁହାଯାଏ। ତୁଳସୀର ଆହୁରି ଆଠୋଟି ନାମ ରହିଛି ଯଥା ବୃନ୍ଦା, ବୃନ୍ଦାବନୀ, ବିଶ୍ୱପୂଜିତା, ବିଶ୍ୱପାବନୀ, ପୁଷ୍ପସାରା, ନନ୍ଦିନୀ, ତୁଳସୀ ଓ କୃଷ୍ଣଜୀବନୀ।


        ପଦ୍ମ ପୁରାଣରେ କୁହାଯାଇଛି ଯେଉଁ ସ୍ଥାନରେ ତୁଳସୀ ଉଦ୍ୟାନ ରହିଥାଏ ତାକୁ ତୀର୍ଥସ୍ଥାନ ରୂପେ ମାନ୍ୟତା ମିଳେ। ତୁଳସୀ ମୂଳରେ ସମସ୍ତ ତୀର୍ଥ, ପତ୍ରରେ ଦେବତାଗଣ ବାସ କରନ୍ତି। ଏହା ମୂଳର ମାଟି ବି ପବିତ୍ର। ମସ୍ତକରେ ଏହାକୁ ଲଗାଇଲେ ମନରେ ସ୍ଥିରତା ଆସେ। ଏକାଗ୍ରତା ବଢ଼େ। ମନ ଶୁଦ୍ଧ ହୁଏ। ବିଶ୍ୱାସ ରହିଛି ଯେ-ପୂର୍ଣ୍ଣିମା, ଅମାବାସ୍ୟା, ଦ୍ୱାଦଶୀ, ସଂକ୍ରାନ୍ତି, ମଧ୍ୟାହ୍ନକାଳ, ତ୍ରିସନ୍ଧ୍ୟା, ଅଶୌଚ, ରାତ୍ରିରେ ପିନ୍ଧିଥିବା ବସ୍ତ୍ର, ତୈଳ ଲଗାଇବା ପରେ ତୁଳସୀ ପତ୍ର ଚୟନ କଲେ ଶ୍ରୀହରୀଙ୍କ ମସ୍ତକ ଛେଦନ ପରି ହୋଇଥାଏ।


❣️ତୁଳସୀପ୍ରିୟ ମହାପ୍ରଭୁ: ❣️


ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କୁ ରସିକରାଜ କୁହାଯାଏ। ତାଙ୍କର ବିଭିନ୍ନ ନୀତି ଓ ବେଶରେ ଭିନ୍ନ ଭିନ୍ନ ରଙ୍ଗ ଓ ବାସ୍ନାର ଫୁଲ ଲାଗିଥାଏ। ଶ୍ରୀମନ୍ଦିରରେ ହେଉ କି ପହଣ୍ଡିରେ ଅବା ରଥ ଉପରେ ଫୁଲରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ତେବେ ମଥାରେ ସର୍ବଦା ତୁଳସୀ ଶୋଭାପାଏ। ତୁଳସୀ ଓ ଦୟଣାପ୍ରିୟ ହେଉଛନ୍ତି ଶ୍ରୀଜଗନ୍ନାଥ। ତାଙ୍କ ପୂଜାରେ ତୁଳସୀ, ମସ୍ତକରେ ତୁଳସୀ, ଆଉ ମହାପ୍ରସାଦରେ ବି ତୁଳସୀ। ତୁଳସୀ ପଡ଼ିଲେ ହିଁ ଭୋଗ ପାଲଟେ ମହାପ୍ରସାଦ। ତୁଳସୀପ୍ରିୟ ଠାକୁର ସେ। ସେଇଥିପାଇଁ ତ ମହାପ୍ରଭୁଙ୍କ ଟାହିଆ, ଟୋପର, ଗୁଣା, ନାକଚଣା ସମେତ ପ୍ରତିଟି ପୁଷ୍ପାଳାଙ୍କାରରେ ତୁଳସୀ ବ୍ୟବହୃତ ହୋଇଥାଏ। 


        ଠାକୁରଙ୍କର ଛଡ଼ାତୁଳସୀ ଟିକେ ପାଇଗଲେ ଭକ୍ତର ମନ ପୂରିଉଠେ। ତୁଳସୀରେ ପୂଜା, ତୁଳସୀରେ ଉପଚାର, ତୁଳସୀରେ ଆଜ୍ଞା ଓ ତୁଳସୀରେ ଅନୁରାଗ। ପ୍ରଭୁଙ୍କର ଏମିତି କୌଣସି ନୀତି ନାହିଁ, ଯେଉଁଠି ତୁଳସୀ ନ ଥାଏ। ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ‘ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ତୁଳସୀ। ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଦିନ ପୁଷ୍ପମଣ୍ଡିତ ସମୟରେ ଫୁଲମାଳାରେ ତୁଳସୀ ଦିଆଯାଇଥାଏ। ମହାପ୍ରଭୁ ତୁଳସୀର ମାଳ ପିନ୍ଧିବାକୁ ଭଲ ପାଆନ୍ତି। ଶ୍ରୀଅଙ୍ଗରେ ତୁଳସୀ ମଞ୍ଜରୀ ପ୍ରଦାନ କଲେ ମହାପ୍ରଭୁ ସମସ୍ତ ମନୋବାଞ୍ଛା ପୂରଣ କରିଥାଆନ୍ତି ବୋଲି ବିଶ୍ୱାସ ରହିଛି। ଏମିତି ବି କୁହାଯାଏ ଯାହା ଘରେ ତୁଳସୀ ଚଉରା ଥାଏ ସେ ଘରେ ଦୈବୀ ଦୁର୍ବିପାକ ହୋଇ ନ ଥାଏ। 


❣️ଦାସିଆ ପୀଠର ତୁଳସୀ: ❣️


ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସେବା ମଧ୍ୟରେ ତୁଳସୀ ସେବା  ଅନ୍ୟତମ। ପ୍ରତିଦିନ ସାଆନ୍ତଙ୍କ ପାଖରେ ଲାଗି ହୁଏ ତୁଳସୀ। ଆଉ ଏଇ ତୁଳସୀ ଆସେ ଭକ୍ତ ଦାସିଆ ବାଉରୀଙ୍କ ପୀଠ ପିପିଲି ନିକଟସ୍ଥ ବାଲି ଗାଁରୁ। ଦାସିଆ ବାଉରୀଙ୍କ ସ୍ମୃତିରେ ଏଠାରେ ତୁଳସୀ ବଣ କରାଯାଇଛି। କି ଖରା, କି ବର୍ଷା ସବୁଦିନ ମା’ ବୃନ୍ଦାବତୀଙ୍କୁ ପୂଜା କରି ତୁଳସୀ ପତ୍ର ସଂଗ୍ରହ କରି କାଳିଆ ଠାକୁରଙ୍କ ପାଇଁ ପଠାଯାଏ। ଖାଲି ତୁଳସୀ ନୁହେଁ, ଏଠାକାର ପୋଖରୀର ପଦ୍ମ ଫୁଲ ଓ ନଡିଆ ବି ପଠାଯାଏ।


ବିଶ୍ୱାସରେ, ସବୁ ପ୍ରାରମ୍ଭରେ ତୁଳସୀ: ”ମା’ ଗୋ ତୁଳସୀ ଦେବୀ.. ଅଟୁ କୃଷ୍ଣଙ୍କ ପ୍ରାଣବଲ୍ଲଭୀ, ପ୍ରଭାତୁ ଉଠିଣ ତୋ ମୁଖ ଚାହିଁଣ ସନ୍ଧ୍ୟା କାଳେ ସନ୍ଧ୍ୟା ଦେଇ, ଓଦା ବସ୍ତ୍ର ପିନ୍ଧି ତୋ ପାଦ ସେବିଲେ ବୈକୁଣ୍ଠ ଲଭିବା ପାଇଁ।“ 

       ସେଥିପାଇଁ ତ ପ୍ରତ୍ୟେକ ଓଡ଼ିଆ ଗୃହିଣୀ ପ୍ରାତଃ ସ୍ନାନାନ୍ତେ ତୁଳସୀ ମୂଳେ ଜଳଦାନ ଦେଇ ପରିବାରର ମଙ୍ଗଳକାମନା କରନ୍ତି। ଆଉ ତୁଳସୀମୂଳର ମାଟି ମସ୍ତକରେ ଲଗାଇ ତୁଳସୀପତ୍ର ସେବନ କରିଥାଅନ୍ତି। କୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭରେ ତୁଳସୀକୁ ପୂଜା ଲାଗି ହୋଇଥାଏ। ଗାଁ ନ୍ୟାୟ ନିଶାପରେ ବି ଭଦ୍ର ବ୍ୟକ୍ତିମାନେ ତୁଳସୀକୁ ଈଶ୍ୱରଙ୍କ ପ୍ରତୀକ ମନେକରି ସତ, ବିଶ୍ୱାସ ଓ ନ୍ୟାୟ ବିଚାର କରିଥାଆନ୍ତି। ଯାଜପୁର ଜିଲା ହରିପୁର ଗାଁରେ ସଭା ଡାକିବା ପାଇଁ ଗାଁରେ ତୁଳସୀ ପତ୍ର ବୁଲାଯାଇଥାଏ। ଆଶ୍ୱିନ ମାସରେ ଓଡ଼ିଶାର କୁଅଁାରୀ ଝିଅମାନେ ତୁଳସୀଚଉରା ଗଛ ଚାରିପାର୍ଶ୍ୱକୁ ଜହ୍ନିଫୁଲରେ ସଜାଇ ଜହ୍ନିଓଷା ନାମକ ଏକ ପୂଜା କରନ୍ତି। ଶରୀର ସୁସ୍ଥ ରହିବା ସହ ସୁନ୍ଦର ବର ପାଇବା ପାଇଁ କୁଆଁରୀମାନେ ଏହି ପୂଜା କରିଥାଆନ୍ତି। ମା’ମାନେ ଛୋଟ ପିଲାଙ୍କୁ କୁନଜରରୁ ରକ୍ଷା କରିବା ପାଇଁ ଜଳତୁଳସୀ ପାନ କରାଇ କାନରେ ତୁଳସୀ ଲଗାଇଥାଆନ୍ତି। ଯେଉଁଠାରେ ତୁଳସୀବନ ସେଠାରେ ଭକ୍ତ ଶିରୋମଣି ରାମଭକ୍ତ ହନୁମାନ ନିବାସ କରିଥାନ୍ତି ବୋଲି କୁହାଯାଏ ା ହନୁମାନଙ୍କ ପୂଜାରେ ବି ତୁଳସୀର ମହତ୍ତ୍ୱ ରହିଛି। ଓଡ଼ିଶାରେ ପ୍ରତି ଠାକୁରଙ୍କୁ ପୂଜା କରିବା ଲାଗି ତୁଳସୀ ବ୍ୟବହାର କରାଯାଏ।


❣️କାର୍ତ୍ତିକ ମାସରେ ତୁଳସୀ: ❣️


ମାସ ଭିତରେ କାର୍ତ୍ତିକ ମାସର ମହତ୍ତ୍ୱ ବେଶି। ଏହାକୁ ଧର୍ମ ମାସ ବୋଲି କୁହାଯାଏ। ଆଉ ଏହି ମାସରେ ତୁଳସୀର ମହତ୍ୱ ବଢିଯାଇଥାଏ। ଓଡ଼ିଶାରେ ହବିଷ୍ୟାଳୀମାନେ ଏହି ମାସରେ ତୁଳସୀ ଚଉରା ପୂଜା କରନ୍ତି। ବିଶ୍ୱାସ ରହିଛି ଏହାଦ୍ୱାରା ଅନେକ ପୁଣ୍ୟ ଲାଭ ହୁଏ।


❣️ତୁଳସୀମାଳା: ❣️


ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ତୁଳସୀ। ତେଣୁ ତାଙ୍କ ପୂଜାରେ ତୁଳସୀର ମହତ୍ତ୍ୱ ଅଶେଷ ରହିଛି। କେବଳ ବିଷ୍ଣୁ ନୁହନ୍ତି ତାଙ୍କର ଅନ୍ୟ ଅବତାର କୃଷ୍ଣଙ୍କ ପୂଜାରେ ବି ତୁଳସୀ ପୂଜା କରାଯାଏ। ଅନେକେ ପୂଜା ସମୟରେ ଜପାମାଳ ବ୍ୟବହାର କରନ୍ତି। ଯାହାକି ତୁଳସୀର ଗଣ୍ଡ ଓ ଚେରରେ ତିଆରି ହୋଇଥାଏ। ଏହା ତୁଳସୀମାଳା ନାମରେ ବି ପରିଚିତ। ଏହାକୁ ପବିତ୍ର ବୋଲି ଧରାଯାଏ। 


କଥାରେ ଅଛି ”ତୁଳସୀର ମାଳ ତୁଳସୀର ଚୂଳ, ତୁଳସୀ ଭୂଷଣ ହୋଇ ତୁଳସୀ ମୂଳରେ ଲୟ ଲଗାଇଲେ ନୀଳଚକ୍ର ଦିଶୁଥାଇ।“


ତେଣୁ ତୁଳସୀମାଳାକୁ ଧାରଣ କରୁଥିବା ବ୍ୟକ୍ତିଙ୍କର ଭଗବାନ ବିଷ୍ଣୁ, କୃଷ୍ଣ ତଥା ଶ୍ରୀ ଜଗନ୍ନାଥଙ୍କ ସହ ସିଧାସଳଖ ସଂଯୋଗ ରହେ ବୋଲି ବିଶ୍ୱାସ ରହିଛି। କିଏ ଏହାକୁ ଗଳାରେ ଧାରଣ କରନ୍ତି ତ କିଏ କଚଟିରେ। ବୈଷ୍ଣବ ଧର୍ମୀମାନଙ୍କ ପରିଚୟ ଗଳାରେ ଥିବା ତୁଳସୀମାଳ ବୋଲି ବି କୁହାଯାଏ। ବୈଷ୍ଣବ ଧର୍ମରେ ତୁଳସୀର ଉପତ୍ତି ସମୁଦ୍ର ମନ୍ଥନ ସହ ଜଡିତ ରହିଛି। ସମୁଦ୍ର ମନ୍ଥନର ଶେଷରେ ଧନ୍ବନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ। ଅମୃତକୁ ପାଇବା ପାଇଁ ଅସୁରମାନେ ଅନେକ ପ୍ରୟାସ କରିଥିଲେ। କିନ୍ତୁ ବିଷ୍ଣୁ ଏହାକୁ ଅସୁରଙ୍କଠାରୁ ରକ୍ଷା କରି ଦେବତାଙ୍କ ପାଇଁ ଆଣିଥିଲେ। ଆଉ ତାଙ୍କ ଆଖିରୁ ଖୁସିର ଅଶ୍ରୁ ବୋହିଯାଇଥିଲା। ଅଶ୍ରୁର ପ୍ରଥମ ବୁନ୍ଦା ଯାହା ଅମୃତରେ ପଡିଥିଲା ତାହା ତୁଳସୀରେ ପରିଣତ ହୋଇଥିବା ବିଶ୍ୱାସ ରହିଛି।


❣️ବାସ୍ତୁଦୋଷ ଦୂର କରେ ତୁଳସୀ- ❣️


ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛ ଲଗାଇଲେ ନକାରାତ୍ମକ ଉର୍ଜା ଘରଠାରୁ ଦୂରଇ ରହେ। ଆଉ ଘରେ ଶାନ୍ତିର ପରିବେଶ ସୃଷ୍ଟି ହୁଏ। ତେବେ ତୁଳସୀ ଗଛକୁ ସବୁବେଳେ ଉତ୍ତର, ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାନ୍ତୁ। ଯଦ୍ଦ୍ବାରା ଘରେ ସକାରାତ୍ମକ ଉର୍ଜା ଭରିଥାଏ। ଏହାକୁ ରୋଷେଇ ଘର ପାଖରେ ଲଗାଇଲେ ପାରିବାରିକ କଳହ କମ୍‌ ହୁଏ। ଘରେ ଯୁବତୀ ଝିଅର ବିବାହ ବିଳମ୍ବ ହେଉଥିଲେ ତୁଳସୀ ଗଛକୁ ଅଗ୍ନି କୋଣରେ ରଖି କନ୍ୟା ସବୁଦିନ ଜଳଦାନ କଲେ ଫଳ ଖୁବ୍‌ ଶୀଘ୍ର ମିଳେ। ବ୍ୟବସାୟ ଠିକ୍‌ରେ ଚାଲୁ ନ ଥିଲେ ତୁଳସୀଗଛକୁ ଦକ୍ଷିଣ-ପଶ୍ଚିମ ଦିଗରେ ରଖି ସବୁ ଶୁକ୍ରବାର ସକାଳେ କଞ୍ଚ ଖୀର ଚଢାଇ ମିଷ୍ଟାନ୍ନ ଭୋଗ କଲେ ସୁଫଳ ମିଳେ। ଶାସ୍ତ୍ରରେ କୁହାଯାଇଛି ଯେ, ଘରେ କୌଣସି ସମସ୍ୟା ଆସିବାକୁ ଥିଲେ ତୁଳସୀ ବୃକ୍ଷ ମରିଯାଇଥାଏ। ଘରେ ସବୁଠିକ୍‌ ଥିଲେ ତୁଳସୀ ବେଶ୍‌ ସବୁଜିମା ଭରା ହୋଇ ରହେ। ଆଉ ଶୁଖି ନ ଥାଏ।


❣️ଜନ୍ମରୁ ମୃତ୍ୟୁ ଯାଏଁ ସବୁଠି ଲୋଡ଼ା:❣️


 ତୁଳସୀର ପ୍ରତ୍ୟେକ ଅଂଶ ପବିତ୍ର। ଏମିତିକି ଏହା ଚତୁଃପାର୍ଶ୍ୱର ମାଟି ବି ପବିତ୍ର। ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତୁଳସୀର ମାହାତ୍ମ୍ୟ ରହିଛି। ଶିଶୁଟିଏ ଜନ୍ମ ହେଲେ ଏକୋଇଶିଆ ଦିନ ଆୟୋଜିତ ସତ୍ୟ ନାରାୟଣ ପୂଜାରେ ତୁଳସୀ ଲୋଡ଼ା ପଡ଼େ। ସେହିଭଳି ପଦ୍ମପୁରାଣ କହେ ଦାହ ସଂସ୍କାର ସମୟରେ ଜୁଇରେ ଶୁଖିଲା ତୁଳସୀ କାଠ ରଖାଯାଇଥିଲେ ସେ ବ୍ୟକ୍ତି ମୋକ୍ଷ ପ୍ରାପ୍ତି କରି ବୈକୁଣ୍ଠରେ ସ୍ଥାନ ପାଆନ୍ତି। ମୃତ୍ୟୁଶଯ୍ୟାରେ ଥିବା ବ୍ୟକ୍ତିଙ୍କ ତୁଣ୍ଡରେ ତୁଳସୀ ଓ ଗଙ୍ଗାଜଳ ଦେବାର ପରମ୍ପରା ରହିଛି। ବିଶ୍ୱାସ କରାଯାଇଥାଏ ଯେ, ଏଭଳି କଲେ ମୃତ୍ୟୋପରାନ୍ତ ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରାପ୍ତ ହୁଏ।


❣️ତୁଳସୀ ଔଷଧୀୟ ଗୁଣ ସମ୍ପନ୍ନ❣️


 ତୁଳସୀର କେବଳ ପତ୍ର ନୁହେଁ, ଚେର,ମୂଳ, ମଞ୍ଜରୀ, ଫୁଲ ଓ ମଞ୍ଜିକୁ ମଧ୍ୟ ଔଷଧ ରୂପେ ଗ୍ରହଣ କରାଯାଏ। ସାଧାରଣତଃ ଆମେ ଦୁଇ ପ୍ରକାରର ତୁଳସୀ ଜାଣିଛୁ। ଗୋଟିଏ କଳା ତୁଳସୀ ଓ ଅନ୍ୟଟି ଧଳା ତୁଳସୀ। ତେବେ ଆହୁରି ଅନେକ ପ୍ରକାରର ତୁଳସୀ ଅଛି। ସେସବୁର ଅଲଗା ଅଲଗା ପ୍ରୟୋଗ ବି ରହିଛି। ଏହାବାଦ ଯେଉଁସ୍ଥାନରେ ତୁଳସୀ ଗଛ ଥାଏ ସେ ସ୍ଥାନରୁ ୬୦୦ ବର୍ଗ ଫୁଟ ପର୍ଯ୍ୟନ୍ତ ଅଞ୍ଚଳରେ ବାୟୁ ଶୁଦ୍ଧ ହୋଇଯାଏ। ଜୀବାଣୁ ଭୂତାଣୁ ଦୂର ହୁଏ। ତୁଳସୀରେ ଅନେକ ଔଷଧୀୟ ଗୁଣ ରହିଛି। ଜାଣନ୍ତୁ ସେ ସମ୍ପର୍କରେ କିଛି…


🌹୧.ଥଣ୍ଡାକାଶ ଦୂର କରିବା ବିଷୟରେ ଆମ ସମସ୍ତଙ୍କର ଧାରଣା ରହିଛି। ତେବେ ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ବୋଲି ପ୍ରମାଣିତ ହୋଇସାରିଛି।🌹


🌹୨.ମୁଖ୍ୟତଃ ଏହାର ପତ୍ରକୁ ବ୍ୟବହାର କରାଯାଏ। ତେବେ ଏହାର ମଞ୍ଜିକୁ ମଧ୍ୟ ପ୍ରୟୋଗ କରାଯାଇପାରିବ। ତୁଳସୀ ମଞ୍ଜିକୁ ବ୍ୟବହାର କରିବାର ଶ୍ରେଷ୍ଠଋତୁ ହେଉଛି ଶୀତଋତୁ। ଜଣେ ପ୍ରାପ୍ତବୟସ୍କ ଯୁବକ ମଞ୍ଜିର ଚୂର୍ଣ୍ଣ୨୦ ଗ୍ରାମ୍‌, ୪୦ ଗ୍ରାମ୍‌ ମିଶ୍ରିଚୂର୍ଣ୍ଣ ସହିତ ସେବନ କଲେ ଶରୀରରେ ଶକ୍ତି ବୃଦ୍ଧି ହୁଏ। ସେହିପରି ଯେଉଁମାନଙ୍କର ଯୌନ ଦୁର୍ବଳତା ରହିଛି ଏକ ଚାମଚ ତୁଳସୀ ମଞ୍ଜିକୁ ଏକ ଗ୍ଲାସ ପାଣିରେ ରାତିରେ ମିଶ୍ରି ସହିତ ଭିଜାଇ ସକାଳେ ଖାଲି ପେଟରେ ପିଇଲେ ସମସ୍ୟା ଦୂର ହୁଏ।🌹


🌹୩.ବିଛା କିମ୍ବା କଙ୍କଡ଼ା ବିଛା କାମୁଡ଼ାର ଯନ୍ତ୍ରଣା ଦୂର କରିବା ପାଇଁ ତୁଳସୀ ପତ୍ର ରସ ଲଗାନ୍ତୁ।🌹


🌹୪.ଦାନ୍ତ ବିନ୍ଧୁଥିଲେ- ତୁଳସୀ ପତ୍ର ରସ ଗୋଲମରିଚ ଚୂର୍ଣ୍ଣ ଉଷୁମ କରି ଦାନ୍ତରେ ଲଗାଇଲେ ଉପକାର ମିଳେ।🌹


🌹୫.କୃମି ସମସ୍ୟା- ଯେଉଁ ପିଲାଙ୍କର ବାରମ୍ବାର କୃମି ସମସ୍ୟା ହୁଏ ତାଙ୍କୁ ତୁଳସୀ ପତ୍ର ନିୟମିତ ସେବନ କରାନ୍ତୁ।🌹


🌹୬.କାଢା- କରୋନା ସମୟରେ ବାସଙ୍ଗ, ତୁଳସୀ ପତ୍ର, ଗୋଲମରିଚ, ଅଦା, ତେଜପତ୍ର ସିଝାଇ ପିଇଲେ ଉପକାର ମିଳେ।🌹


🌹୭. ବାରମ୍ବାର ଛିଙ୍କ, କାଶ ଓ ନାକରୁ ପାଣି ଝରୁଥିଲେ- ତୁଳସୀ ପତ୍ର ରସ, ହଳଦୀକୁ ଗାଈ ଘିଅ ସହ ମିଶାଇ ସାମାନ୍ୟ ଉଷୁମ କରି କିଛି ଦିନ ସେବନ କଲେ ସମସ୍ୟା ଦୂର ହୁଏ।🌹


🌹୮. ଗଳା ବସିଥିଲେ- ତୁଳସୀ ପତ୍ର ରସ, ବାସଙ୍ଗ ପତ୍ର ରସ ଏକ ଚାମଚ ଲେଖାଏଁ ମହୁ ସହିତ ଖାଇଲେ ଗଳା ବସିବା ସମସ୍ୟା ଦୂର ହୁଏ।🌹


🌹୯. ଶୁଖିଲା କାଶ- ତୁଳସୀ ପତ୍ର ରସ, ପୋସ୍ତକ ଚୂର୍ଣ୍ଣ, ମିଶ୍ରି ସମାନ ପରିମାଣରେ ଦିନକୁ ୨ ଥର ଖାଇଲେ କାଶ ଭଲ ହେବା ସହ ଗଳା ବସିଥିଲେ ବି ଭଲ ହୁଏ।🌹


🌹୧୦. ନାକରୁ ରକ୍ତ ପଡ଼ିଲେ- ଥଣ୍ଡା କାରଣରୁ ନାକରୁ ରକ୍ତ ଝରିଲେ ୨ ଟୋପା ତୁଳସୀ ପତ୍ର ରସ ନାକରେ ପକାନ୍ତୁ। ସମସ୍ୟା ଦୂର ହେବ।🌹


🌹୧୧. ଅଗ୍ନିମାନ୍ଦ୍ୟ- ନିୟମିତ ୫ଟି ତୁଳସୀପତ୍ର ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଖାଲି ପେଟରେ ତାକୁ ପିଅନ୍ତୁ।🌹


🌹୧୨. ତୁଳସୀ ପ୍ରଚୁର ପରିମାଣରେ ଅମ୍ଳଜାନ ଯୋଗାଏ। ତେଣୁ ତୁଳସୀଗଛ ସବୁଆଡେ ଲଗାଇବା ଉଚିତ।🌹


❣️*ଶ୍ରୀ ବୃନ୍ଦାବତୀଙ୍କ ସ୍ତୁତି*❣️


ମାଗୋ ତୁଳସୀ ଦେବୀ ଅଟୁ

ଶ୍ରୀକୃଷ୍ଣ ପ୍ରାଣ ବଲ୍ଲଭୀ ॥

ପ୍ରଭାତୁ ଉଠିଣ ତୋ ମୁଖ ଚାହିଁଣ ସନ୍ଧ୍ୟାକାଳେ ସଞ୍ଜ ଦେଇ ।

ଓଦା ବସ୍ତ୍ର ପିନ୍ଧି ତୋ ପାଦ ସେବିଲେ ବୈକୁଣ୍ଠ ଲଭିବା ପାଇଁ ॥

ଚାରିପାଶେ ଚାରି ତପୀ ବସିଥାନ୍ତି ମଧ୍ୟେ ବସେ ବସୁନ୍ଧରା ।

ଚାରିପାଶ ଚାରି ଚାମର ଢାଳନ୍ତି ରୁକ୍ମଣୀ ଲିପେ ଚଉଁରା ॥

ସତ୍ୟଯୁଗେ ତୋର ସତ୍ୟବତୀ ନାମ ତ୍ରେତା ଯୁଗରେ ମାଳତୀ

ଦ୍ଵାପର ଯୁଗରେ ନାମ ଯେ ତ୍ରିପୁରା କଳିଯୁଗ ବୃନ୍ଦାବତୀ ॥

ତୁଳସୀର ମାଳ ତୁଳସୀର ଚୁଳ ତୁଳସୀ ଭୂଷଣ ହୋଇ

ତୁଳସୀ ମୂଳରେ ଲୟ ଲଗାଇଲେ ନୀଳଚକ୍ର ଦିଶୁଥାଇ ॥

ମୂଳେ ତୋର ଗଙ୍ଗା ଡାଳେ ତୋର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ

ତୋ ପତ୍ର ପଡ଼ିଲେ ମଣୋହୀ ହୁଅଇ କହଇ ଗୋପାଳ ଦାସ ।।


ମୂଳେ ତୋର ଗଙ୍ଗା

             ଡାଳେ ତୋର ବିଷ୍ଣୁ 

ପତ୍ରେ ଦେବତାଙ୍କ ବାସ

ତୋ ପତ୍ର ପଡ଼ିଲେ   ମଣୋହୀ ହୁଅଇ

          କହଇ ଗୋପାଳ ଦାସ ॥


ଯେଉଁ ଘରେ ତୁଳସୀ ବୃକ୍ଷ ଥାଏ, ସେ ଘରେ ଦରିଦ୍ରତା ରହେ ନାହିଁ । ଯେଉଁ ଘରେ ତୁଳସୀ ବିରାଜମାନ ସେଠାରେ ଦୁଃଖ, ଭୟ ଓ ରୋଗ ବାସ କରେ ନାହିଁ ।

-ପଦ୍ମପୁରାଣ


🙏❣️ଓଁ ଜୟ ଶ୍ରୀଜଗନ୍ନାଥ ସ୍ବାମୀ ଶରଣଂ❣️🙏


#ଭଗବତକଥା🙏🚩

ଓଁ ନମୋ ଭଗବତେ ବାସୁଦେବାୟ ❣️🙏



ଶ୍ରୀପୁରୁଷୋତ୍ତମସହସ୍ରନାମସ୍ତୋତ୍ରମ୍

https://jagarnnath-upasana.blogspot.com/2023/12/blog-post_90.html


Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ये 15 मंत्र जो हर हिंदूओ और उनके बच्चों को सिखाना चाहिए

ଦେବଦୀପାବଳୀ