ସେ ତ ଭକତ ଭାବରେ ବନ୍ଧା ରେ.....

 ❣️ସେ ତ ଭକତ ଭାବରେ ବନ୍ଧା ରେ.....

       ସେତେବେଳେ ଭକତ ଭାବରେ ବନ୍ଧା...🌹❤️


ଭକ୍ତର ଭକ୍ତି ଭାବଧାରାରେ ବନ୍ଧା ଭଗବାନ । ଭକ୍ତର ପ୍ରଚୁର ଭକ୍ତି ହିଁ ଭଗବାନ ଓ ଭକ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିଥାଏ । 


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ଅସଂଖ୍ୟ ଭକ୍ତ ଙ୍କର ଅଲୌକିକ ଅନୁଭୂତି ଘଟି ଚାଲିଛି । ଦାରୁରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଭକ୍ତ ଙ୍କ ମଧ୍ୟରୁ ବନ୍ଧୁ ମହାନ୍ତି୍ ଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଅତୁଟ ବନ୍ଧୁତା ଆଜି ମଧ୍ୟ ଅଗଣିତ ଭକ୍ତ ଜନମାନସରେ ଭକ୍ତିର ଭାବଧାରା ବୃଦ୍ଧିକରିଥାଏ।


ଏହା ପ୍ରାୟ ୧୮୧୮ ମସିହାର କଥା । ସୁଦୂର ଯାଜପୁରରେ ରହୁଥିଲେ ବନ୍ଧୁ ମହାନ୍ତି । ଘୋର ଆର୍ଥିକ-ଅନାଟନରେ ଥାଇ କାଳାତିପାତ କରୁଥିଲେ ମଧ୍ୟ ଭକ୍ତ ବନ୍ଧୁ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଭୀର ଭକ୍ତି କରୁଥିଲେ । ସବୁକଥାରେ ସେ ତାଙ୍କ ସ୍ତ୍ରୀଙ୍କୁ ପୁରୀରେ ତାଙ୍କର ଏକ ବନ୍ଧୁ ଅଛନ୍ତି ଏବଂ ସେ’ହିଁ ଆମର ସବୁକିଛି ଦୁଃଖ ଦୂର କରିପାରିବେ ବୋଲି କହନ୍ତି ।


 ଏକଦା ବନ୍ଧୁ ମହାନ୍ତି ଙ୍କ ଘରେ ଚାଉଳ ନ’ଥିବାରୁ ସେ ଓ ତାଙ୍କ ପତ୍ନୀ ଦୁଇ ସନ୍ତାନଙ୍କ ସହିତ ଭୋକ ଉପବାସରେ ଦୁଇଦିନ ରହିଲେ ।


ଏପରି ଏକ ପରିସ୍ଥିତିରେ ତାଙ୍କ ସ୍ତ୍ରୀ ତାଙ୍କୁ ପୁରୀରେ ଥିବା ତାଙ୍କ ବନ୍ଧୁଙ୍କୁ ଦେଖା କରି ତାଙ୍କର ଦୁଃଖ ଦୂର କରିବାକୁ ଅନୁରୋଧ କଲେ । ଦୁଇ ସନ୍ତାନ ଓ ସ୍ତ୍ରୀ’ଙ୍କୁ ଧରି ବନ୍ଧୁ ମହାନ୍ତି ପୁରୀରେ ଥିବା ତାଙ୍କ ପରମ ବନ୍ଧୁ ଶ୍ରୀଜଗନ୍ନାଥ ଙ୍କୁ ଦେଖା କରିବାକୁ ଚାଲିଲେ ।


ପୁରୀରେ ପହଞ୍ଚିବା ପରେ ରାତି ହୋଇଯିବାରୁ ବନ୍ଧୁ ମହାନ୍ତି ଓ ତାଙ୍କର ପରିବାର ଅଖିଆ-ଅପିଆ ଅରୁଣ ସ୍ତମ୍ଭ ନିକଟ ବଡ଼ଦାଣ୍ଡରେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ । ରାତି-ଅଧ ବେଳରେ ବନ୍ଧୁ ମହାନ୍ତି ଙ୍କୁ କେହି ଜଣେ ଡ଼ାକି ନିଦରୁ ଉଠାଇବାରୁ ତାଙ୍କର ନିଦ ଭାଙ୍ଗିଗଲା । 


ନିଦରୁ ଉଠି ସେ ଦେଖିଲେ ଜଣେ କଳା ରଙ୍ଗର ବ୍ରାହ୍ମଣ ପ୍ରସାଦ ଭରା ବିରାଟ ଥାଳିଟିଏ ଧରି ଛିଡ଼ା ହୋଇଛନ୍ତି  । ବନ୍ଧୁ ମହାନ୍ତିଙ୍କୁ ଖାଦ୍ୟଭରା ଥାଳିଟି ଧରାଇ ଦେଇ ବ୍ରାହ୍ମଣ ମହାଶୟ ଶିଘ୍ର ପିଲାମାନଙ୍କ ସହିତ ଖାଇନେବାକୁ କହି ସେଠୁ ଚାଲିଗଲେ । ସୁସ୍ୱାଦୁ ଅନ୍ନ ପ୍ରସାଦ ସହିତ ମହମହ ବାସୁଥିଲା ବିଭିନ୍ନ ତରକାରୀ ଓ ଅନେକ ରକମ ର ପିଠା ଏବଂ ମିଷ୍ଟାନ୍ନ ଖାଦ୍ୟ ସାମଗ୍ରୀ । 


ମନଭରି ତାଙ୍କ ସ୍ତ୍ରୀ ଓ ପିଲାମାନେ ଖାଇବା ପରେ ବନ୍ଧୁ ମହାନ୍ତି ମଧ୍ୟ ଅପୂର୍ବ ପ୍ରସାଦ ସେବନ କରି ପରିବାର ସହିତ ମହାନନ୍ଦରେ ଶୋଇପଡ଼ିଲେ ।


ସକାଳୁ ସେବାୟତ ମାନେ ମହାପ୍ରଭୁ ଙ୍କର ରତ୍ନସିଂହାସନ ରେ ଗତରାତିରେ ପ୍ରଭୁଙ୍କୁ ଭୋଗ ଲାଗି କରାଯାଇଥିବା ରତ୍ନଥାଳୀଟି ନ’ଥିବାର ଦେଖି ରାଜାଙ୍କୁ ଚୋରୀ ହୋଇଥିବାର ଜଣାଇଲେ । ରାଜାଙ୍କ ସିପାହୀମାନେ ବନ୍ଧୁ ମହାନ୍ତି ଶୋଇଥିବା ସ୍ଥାନରୁ ରତ୍ନଥାଳି ଟି ପାଇ ତାଙ୍କୁ ଚୋରି କରିଥିବା ଅଭିଯୋଗରେ କାରାଗାର କୁ ନେଇ ବନ୍ଦୀ କରିଦେଲେ ।


କାରାଗାର ରେ ବନ୍ଧୁ ମହାନ୍ତି ଖୁବ୍ କାନ୍ଦିଲେ ଓ ମହାପ୍ରଭୁଙ୍କୁ କହିଲେ ପ୍ରଭୁ ତୁମେ ପୁରୀକୁ ଡ଼କାଇ ଖାଇବାକୁ ଦେଲ, କି’ ଦୋଷ କରିଥିଲି ମୁଁ ପ୍ରଭୁ ମିଥ୍ୟା ଚୋରୀ ମାମଲାରେ ମୋତେ ଫସାଇ କାରାଗାରର ଦଣ୍ଡ ଦେଉଛ । ସେଦିନ ରାତିରେ ପୁରୀ ଗଜପତି ମହାରାଜାଙ୍କୁ ଶ୍ରୀଜଗନ୍ନାଥ ସ୍ୱପ୍ନରେ ଦେଖାଦେଇ କହିଲେ, “ ମୋ ରତ୍ନଥାଳି ଚୋରୀ ମାମଲାରେ କାରାଗାରରେ ଯେଉଁ ବ୍ୟକ୍ତିଙ୍କୁ ବାନ୍ଧିରଖିଛ ସେ ନିର୍ଦ୍ଦୋଷ ଏବଂ ମୋର ପରମ ବନ୍ଧୁ, ତାଙ୍କୁ ତୁରନ୍ତ ଖଲାସ କର ନଚେତ୍ ଶାସ୍ତି ଭୋଗିବ । ”


ମହାରାଜାଙ୍କ ଚାଉଁକିନା ନିଦ ଭାଙ୍ଗିଗଲା ଏବଂ ତୁରନ୍ତ ନିଜେ କାରାଗାରକୁ ଯାଇ ବନ୍ଧୁ ମହାନ୍ତିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଖଲାସ କଲେ ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ କିପରି ସ୍ୱହସ୍ତରେ ଖାଦ୍ୟଭରା ରତ୍ନଥାଳି ଦେଇଥିଲେ ତାହାକୁ ସ୍ୱପ୍ନରେ ମଧ୍ୟ ଦେଖିଥିବା କଥା ରାଜା ତାଙ୍କ ଆଗରେ ବଖାଣିଲେ ।


ପରିଶେଷରେ ମହାରାଜା ବନ୍ଧୁ ମହାନ୍ତି ଙ୍କୁ ନିଜ ଦରବାରରେ ସସମ୍ମାନରେ ଚାକିରି ପ୍ରଦାନ କରି ପୁରୀରେ ରହିବାର ବ୍ୟବସ୍ଥା ମଧ୍ୟ କରିଦେଲେ । ପ୍ରକୃତରେ କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’ । ଜୀବନରେ ସତକାର୍ଯ୍ୟ କରୁଥିବା ସହିତ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୂହୁର୍ତ୍ତରୁ ତ୍ରାହି ମିଳିପାରିବ । ତେଣୁ ଆଧ୍ୟାତ୍ମିକତା ର ମହାମନ୍ତ୍ର ହେଉଛି ‘ଭକ୍ତି’ । ଯୁଗେ-ଯୁଗେ ଭକ୍ତର ଦୃଢ ବିଶ୍ୱାସ ଥାଏ ଯେ ଭକ୍ତର ଭକ୍ତି ଭାବଧାରାରେ ବନ୍ଧା ସ୍ୱୟଂ ଭଗବାନ ।


                     ମଣିମା ଙ୍କ ଜୟ ହେଉ 👏👏 

  ଜୟ ଜଗନ୍ନାଥ 🚩 ଜୟ ଜଗନ୍ନାଥ 🚩 ଜୟ ଜଗନ୍ନାଥ 🚩


#ଭଗବତକଥା🙏🚩

ଓଁ ନମୋ ଭଗବତେ ବାସୁଦେବାୟ ❣️🙏

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ये 15 मंत्र जो हर हिंदूओ और उनके बच्चों को सिखाना चाहिए

ଦେବଦୀପାବଳୀ